ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଚାଲିଲା ୪ ଅତ୍ୟାଧୁନିକ ବସ୍: ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ଗଲେ ୨୦୦ଶ୍ରଦ୍ଧାଳୁ

ଭୁବନେଶ୍ବରରେ: ପ୍ରାୟାଗରାଜରେ ଆୟୋଜିତ ହେଉଥିବା ବିଶ୍ବପ୍ରସିଦ୍ଧ ମହାକୁମ୍ଭ ମେଳାରେ ଯେପରି ଓଡ଼ିଶାର ଶ୍ରଦ୍ଧାଳୁମାନେ ‌ସୁବିଧାରେ ଯୋଗଦେଇପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠାରୁ ୪ଟି ଅତ୍ୟାଧୁନିକ ବସ୍‌ ସେବା ଆରମ୍ଭ ହୋଇଛି। ଓଏସ୍‌ଆର୍‌ଟିସିର ଏହି ୪ଟି ବସ୍‌ ପୁରୀ, ସମ୍ବଲପୁର, ବ୍ରହ୍ମପୁର, ଭବାନୀପାଟଣାରୁ ୨୦୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଆଜି ଯାତ୍ରା ଆରମ୍ଭ କରିଛି। ଏହି ବସ୍‌ ପ୍ରୟାଗରାଜ ଓ ବାରାଣସୀ ଦେଇ ଅଯୋଧ୍ୟା ପର୍ଯ୍ୟନ୍ତ ଯିବ ।

ଆଜି ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ ମୋଡ୍‌ରେ ପତାକା ଦେଖାଇ ଏହି ବସ୍‌ ସେବାର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ତୀର୍ଥଯାତ୍ରାରେ ସେମାନେ ପୁଣ୍ୟ ଲାଭ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି। ଏହାସହ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ୪ଟି ବସ୍ ଚଳାଚଳ କରୁଛି, ଆବଶ୍ୟକ ହେଲେ ଅଧିକ ବସ୍‌ ଚଳାଚଳ କରିବ। ଜାନୁଆରି ୧୩ରୁ ଫେବ୍ରୁଆରି ୨୬ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମହାକୁମ୍ଭ ମେଳାରେ ଦେଶର ବିଭିନ୍ନ ରାଜ୍ୟ ଓ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ, ଶ୍ରଦ୍ଧାଳୁ ଓ ସାଧୁସନ୍ଥ ଯୋଗଦେବେ। ଆମ ଓଡ଼ିଶାରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେବେ। ସେଥିପାଇଁ ଏହି ବସ୍‌ ସେବା ଆରମ୍ଭ କରାଯାଉଛି। ଏହି ବସ୍‌ରେ ମହିଳା ଯାତ୍ରୀଙ୍କ ଟିକେଟ୍ ମୂଲ୍ୟ ଉପରେ ୫୦% ରିହାତି ମିଳିବ ।

ଏହି ବସ୍‌ଗୁଡ଼ିକରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ‘ଲାଇଭ୍ ଭେଇକିଲ୍ ଟ୍ରାକିଂ’, ପ୍ୟାନିକ୍‌ ବଟନ୍ ଏବଂ ଡ୍ରାଇଭର ଆସିଷ୍ଟାନ୍ସ ବ୍ୟବସ୍ଥା ରହିଛି। ଯାତ୍ରୀଙ୍କ ଆରାମଦାୟକ ଯାତ୍ରା ପାଇଁ ସମସ୍ତ ସୁବିଧା କରାଯାଇଛି। ଏହା ସହିତ ମହାକୁମ୍ଭ ମେଳା ଯାତ୍ରୀ ମାନଙ୍କ ସୁବିଧା ପାଇଁ ୨୪ ଘଣ୍ଟିଆ ହେଲ୍ପ ଡେସ୍କ ମଧ୍ୟ ଖୋଲା ଯାଇଛି। ଯାତ୍ରୀମାନେ ୧୮୦୦୩୪୫୧୧୨୨ ନମ୍ବରରେ କଲ୍‌ କରି କିମ୍ବା ୭୮୪୯୦୫୨୨୦୫ ନମ୍ବରରେ ହ୍ବାଟସଆପ୍ ମେସେଜ୍ କରି ହେଲ୍ପ ଡେସ୍କର ସୁବିଧା ନେଇପାରିବେ। ଏହାସହ ପ୍ରୟାଗରାଜରେ ମଧ୍ୟ ଯାତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଓଏସ୍‌ଆର୍‌ଟିସିର କର୍ମଚାରୀମାନଙ୍କୁ ମଧ୍ୟ ଅବସ୍ଥାପିତ କରାଯାଇଛି ।

ଏହି ଅବସରରେ ବ୍ରହ୍ମପୁରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯାତ୍ରୀମାନଙ୍କୁ ଶୁଭକାମନା ଜଣାଇକହିଥିଲେ ଯେ, ସଡ଼କ ପରିବହନ କ୍ଷେତ୍ରରେ ଅଧିକ ସୁରକ୍ଷା ପାଇଁ ରାଜ୍ୟ ସରକାର ଏକ ମାସ ବ୍ୟାପୀ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ କରୁଛନ୍ତି। ଯାନ ଚଳାଚଳ ବେଳେ ସମସ୍ତେ ବାହନ ଚଳାଚଳର ନିୟମ ମାନି ସୁରକ୍ଷିତ ରହିବାକୁ ସେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭବାନୀପାଟଣାରେ ସାଂସଦ ମାଳବିକା ଦେବୀ, ସମ୍ବଲପୁରରେ ବିଧାୟକ ଜୟନାରାୟଣ ମିଶ୍ର, ପୁରୀରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଏବଂ ଲୋକସେବା ଭବନରେ ଏକାମ୍ର ବିଧାୟକ ବାବୁ ସିଂହ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ, ପରିବହନ କମିସନର ଅମିତାଭ ଠାକୁର ଏବଂ ଓଏସ୍‌ଆର୍‌ଟିସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଦୀପ୍ତେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *