ନିରଂଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲା: ପୁଲିସ ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ!

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ନିରଂଜନ ପଟ୍ଟନାୟକଙ୍କ ଘରୁ ଗତ ଶନିବାର-ରବିବାର ରାତିରେ ବଡ଼ଧରଣର ଡକାୟତି ମାମଲାରେ ପୁଲିସ କମିସନର ସୁରେଶ ଦେବଦତ୍ତ ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ସିଂ କହିଛନ୍ତି, ପୁଲିସ ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି। ଦୁଇଟି ଘରୁ ହୋଇଥିବା ଚୋରି ଘଟଣାରେ ସାମଞ୍ଜସ୍ୟ ନାହିଁ। ପ୍ରଥମ ଘରେ ଓ ଦ୍ୱିତୀୟ ଘରେ ପଶିଥିବା ଚୋର ଅଲଗା। ଦ୍ଵିତୀୟ ଘରୁ ଚୋରି ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତର ଘର ଗଞ୍ଜାମ ଜିଲ୍ଲାରେ। ସେ ଭୁବନେଶ୍ବରର ସାଲିଆସାହିରେ ରହୁଥିଲା ।

ନିରଂଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାରେ କମିସନରେଟ୍‌ ପୁଲିସ ୨୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ପଚରାଉଚରା କରିଛି। ସିସିଟିଭିକୁ ବ୍ୟାପକ ଯାଞ୍ଚ କରାଯାଇଛି। ଡିଜିଟାଲ ଇଭିଡ଼େନ୍ସ ମିଳିଛି। ପଚରାଉଚରା ବେଳେ କିଛି ପୁଲିସ୍‌କୁ କିଛି ସୁରାଗ ହସ୍ତଗତ ହୋଇଛି। କମିସନରେଟ ପୁଲିସ ଖୁବଶୀଘ୍ର ଅଭିଯୁକ୍ତକୁ କାବୁ କରିବ। -ସୁରେଶ ଦେବଦତ୍ତ ସିଂ, ପୁଲିସ କମିସନର

ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ କଂଗ୍ରେସର ବରିଷ୍ଠ ନେତା ନିରଂଜନ ପଟ୍ଟନାୟକଙ୍କ ନୂଆପଲ୍ଲୀସ୍ଥିତ ବାସଭବନରେ ଚୋରମାନେ ପଶିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ରହି ସେମାନେ ଟଙ୍କା ଓ ସୁନା ଅଳଙ୍କାର ଲୁଟ୍‌ କରିଥିଲେ। ଚୋରି ଘଟଣାର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଦୁର୍ବୃତ୍ତ ଜଣକ ମାଷ୍ଟର ବେଡ୍‌ ରୁମ୍‌ରେ ପଶି ଭିତରୁ କବାଟ ବନ୍ଦ କରି ଦେଇଥିଲା। ଶବ୍ଦ ଶୁଣି ଘର ଲୋକେ ଉଠିବା ପରେ ସୁରକ୍ଷାକର୍ମୀଙ୍କୁ ଡାକିଥିଲେ। ତେବେ ସମସ୍ତଙ୍କୁ ମାତ୍‌ ଦେଇ ଦ୍ବିତୀୟ ମହଲାର ଝରକା ଡେଇଁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲା। ଏନେଇ ଥାନାରେ ଏତଲା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଲୁଟ୍‌ ପରେ ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଭଗବାନଙ୍କ କୃପାରୁ ପରିବାର ଲୋକ ସୁରକ୍ଷିତ ଅଛନ୍ତି ।

Leave a Reply

Your email address will not be published. Required fields are marked *