ଗଞ୍ଜାମ: ଅଣଲିଜ୍ ଅଞ୍ଚଳରୁ ବେଧଡକ ବାଲି ଚାଲାଣ; ମାଫିଆଙ୍କ ନିୟନ୍ତ୍ରଣରେ ଭଞ୍ଜନଗରର ନଦୀପଠା

ବେଲଗୁଣ୍ଠା ୧୪/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡର ଜୀବନରେଖା ଋଷିକୁଲ୍ୟା ଓ ବଡ଼ନଦୀର ଚିତ୍ର ଗତ ଅଢେ଼ଇ ଦଶନ୍ଧି ଭିତରେ ବଦଳିଯାଇଛି। ଏକଦା କୃଷି କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଥିବା ଏହି ଦୁଇ ନଦୀକୁ କିଲୋମିଟର କିଲୋମିଟର ଦୂର ପର୍ଯ୍ୟନ୍ତ ଚାହିଁଲେ କେବଳ ବାଲି ଦିଶୁଥିଲା | କିନ୍ତୁ ସଂପ୍ରତି ଦୁଇ ନଦୀର ପ୍ରତି ଦୁଇରୁ ତିନି କିଲୋମିଟର ବ୍ୟବଧାନରେ ବାଲିଘାଟରୁ ବେଧଡ଼କ ଭାବେ ବେଆଇନ ବାଲି ଉତ୍ତୋଳନ ହେଉଛି। ଶାଖା ନଦୀର ଶଯ୍ୟା ଏବେ ବାଲି ମାଫିଆଙ୍କ କବଳରେ ରହିଛି। ଉପଖଣ୍ଡର ଯେତିକି ବାଲିଘାଟକୁ ଅନୁମତି ଅଛି, ତା’ର ୫ ଗୁଣା ବାଲିଘାଟରୁ ଚୋରା ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଲିଜଧାରୀ ନକଲି ଫର୍ମର ସାହାର ନେଉଥିବା ବେଳେ ବିନା ଲିଜ୍ ଧାରୀମାନେ ବେଫିକର୍ ଭାବେ ଦିନରାତି ବାଲି ଉତ୍ତୋଳନ କରୁଥିବା ଅଭିଯୋଗ ହୋଇଛି। ଲିଜ୍ ଖାଦାନ ତୁଳନାରେ ବେଆଇନ ଖାଦାନରୁ ଅଧିକ ବାଲି ଚାଲାଣ ଯୋଗୁଁ ସରକାର ଦୈନିକ କୋଟିକୋଟି ଟଙ୍କାର ରାଜସ୍ବ ହରାଉଛନ୍ତି।

ଭଞ୍ଜନଗର ଉପଖଣ୍ଡ ଦେଇ ବଡ, ବୋଡା, ପଦ୍ମା, ଋଷିକୂଲ୍ୟା ଓ ଲୋହରାଖଣ୍ଡି ନଦୀ ସମେତ ଏହାର ଶାଖା ନଦୀ ଗୁଡିକ ପ୍ରବାହିତ ହୋଇଛି। ଏଠାକାର ବାଲି ଉନ୍ନତମାନର ହୋଇଥିବାରୁ ଏହାର ଚାହିଦା ଅଧିକ ରହିଛି। ରାଜ୍ୟର ବିଭିନ୍ନ ପ୍ରାନ୍ତ ଓ ପଡ଼ୋଶୀ ରାଜ୍ୟକୁ ମଧ୍ୟ ବାଲି ଚୋରା ଚାଲାଣ କରାଯାଉଛି। ଏ ସବୁ ପୂର୍ବରୁ ଲୁଚାଛପାରେ ହେଉଥିଲା। ଏବେ ଖୋଲାଖୋଲି ଚାଲିଛି। ଏବେ ଯୁଆଡ଼େ ଚାହିଁଲେ ସିଆଡ଼େ କେବଳ କାଶତଣ୍ଡି ଭର୍ତ୍ତି ହୋଇ ରହିଛି। ମେସିନ୍‌ରେ ବାଲି ଉତ୍ତୋଳନ ବେଳେ ଅତି ଗଭୀରରୁ ମାଟି ଉପରକୁ ଆସି ପଡ଼ୁଥିବା ବେଳେ ତାହା ଉପରେ କାଶତଣ୍ଡି ବଢ଼ିବାରେ ଲାଗିଛି। ଏଭଳି ସ୍ଥିତି ଲାଗି ରହିଲେ ନଦୀ ନିଜର ସତ୍ତା ହରାଇବେ ବୋଲି ପରିବେଶବିତ୍ ମତବ୍ୟକ୍ତ କରିଛନ୍ତି। ଗତ ୨୦୦୦ ମସିହା ପର୍ଯ୍ୟନ୍ତ ଉପଖଣ୍ଡର ଏହି ପାଞ୍ଚଟି ନଦୀ ଓ ଏହାର ଶାଖା ନଦୀରୁ ବିଶେଷ ଭାବେ ବାଲି ଉତ୍ତୋଳନ ହେଉ ନଥିଲା। ହଜାର ହଜାର ହେକ୍ଟର ଜମି ଜଳସେଚିତ ହେବା ସହିତ ବହୁ ସହର ଓ ଗ୍ରାମକୁ ଜଳଯୋଗାଣ ହେଉଥିଲା। କିନ୍ତୁ ସମୟ ଚକ୍ରରେ ରାଜସ୍ବ ବୃଦ୍ଧି ଲକ୍ଷ୍ୟରେ ନଦୀର ପ୍ରତି ଦୁଇରୁ ତିନି କିଲୋମିଟର ଦୂରରେ ବାଲିଘାଟ ଖୋଲି ଦିଆଗଲା। ଯେଉଁଠୁ ବର୍ତ୍ତମାନ ମେସିନ୍ ସାହାଯ୍ୟରେ ବେଧଡ଼କ ବାଲି ଚାଲାଣ ହେଉଛି।

ସବୁଠୁ ଚିନ୍ତାର ବିଷୟ ହେଉଛି,ଏହି ସବୁ ନଦୀରେ ବାଲି କମିବାରେ ଲାଗିଛି। ବଡ ବଡ ମେସିନ୍ ବ୍ୟବହାର କରି ପ୍ରତିଦିନ ହଜାର ହଜାର ଘନମିଟର ବାଲି ଉତ୍ତୋଳନ ଜାରି ରହିଛି। କେଉଁଠି ପୋଖରୀ ଭଳି ଗାତ ଖୋଳି ବାଲି ଚୋରି କରି ନିଆଯାଉଛି ତ ଆଉ କେଉଁଠି ବାଲି ପରିବହନ ପାଇଁ ନଦୀ ଭିତରେ ରାସ୍ତା ନିର୍ମାଣ କରାଯାଇଛି। ପୂର୍ବରୁ ରାଜସ୍ବ ବିଭାଗ ଅଧୀନରେ ବାଲି ସୈରାତ୍ ଥିବା ବେଳେ ବର୍ତ୍ତମାନ ଲଘୁ ଖଣିଜ ସମ୍ପଦ ବିଭାଗ ଅଧୀନରେ ରହିଛି। ରାଜ୍ୟ ସରକାର ଏଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେଇ ଋଷିକୁଲ୍ୟା ଓ ବଡ଼ନଦୀ ସମେତ ଅନ୍ୟାନ୍ୟ ନଦୀକୁ ବଞ୍ଚାଇବା ଲାଗି ଦୀର୍ଘମିଆଦି ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ ମତପ୍ରକାଶ ପାଇଛି। ନଚେତ୍ ଆଗାମୀ ପିଢ଼ି ପାଇଁ ନଦୀରେ ବାଲି ଦେଖିବା ସ୍ବପ୍ନ ପାଲଟିବ।ମାଫିଆ ଓ ଠିକାଦାର ଏଥିରେ ଲାଭବାନ ହେଉଥିବା ବେଳେ ସରକାର ଏ ବାବଦରେ ଶହ ଶହ କୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ଲଘୁ ଖଣିଜ କାରବାର ନିୟନ୍ତ୍ରଣ କରିବାକୁ ସରକାର ଗୋଟିଏ ପରେ ଗୋଟିଏ ନୀତି ପ୍ରଣୟନ କରୁଛନ୍ତି । ମାତ୍ର ତାହା ସଠିକ୍ କାର୍ଯ୍ୟକାରୀ ହୋଇ ପାରୁନଥିବା ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *