
ଭଞ୍ଜନଗର ୨୩/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗ୍ଲୋବାଲ ୱାର୍ମିଂ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଗାଁଗହଳିରେ ବି ଦେଖିବାକୁ ମିଳିଛି । ଋତୁକାଳୀନ ମିଳୁଥିବା ବିଲ ମାଛ ବା ଚୂନା ମାଛ ଆଉ ଗାଁରେ ମିଳୁନି। ଅଧିକ ଅମଳ ପାଇଁ ବିଲରେ ବାରମ୍ବାର ରାସାୟନିକ ସାର ଓ କୀଟନାଶକ ବ୍ୟବହାର ଯୋଗୁ ପାଣି ବିଷାକ୍ତ ହେବାରୁ ଏହା ଲୋପ ପାଇଯାଉଛି। ଫଳରେ ସ୍ବାସ୍ଥ୍ୟ ପକ୍ଷେ ହିତକର କୁହାଯାଉଥିବା ଏହି ଚୂନା ମାଛ ଆଉ ପାଟିରେ ବାଜୁନି।
ସୂଚନା ମୁତାବକ, ଜଳବାୟୁ ବିଗିଡ଼ି ଯିବାରୁ ଆଗ ଭଳି ଆଉ ୬ଟି ଋତୁ ଅନୁଭୂତ ହେଉ ନଥିବା ବେଳେ ଏହାର ପ୍ରଭାବ ଗାଁ ଉପରେ ପଡ଼ୁଛି। ପାଣିପାଗ ଭଲ ରହିଲେ, ବିଲରେ ଚୂନା ମାଛ ବେଶି ମିଳନ୍ତି | ଚୂନା ମାଛରେ ବେଶି କ୍ୟାଲସିୟମ ରହିଥିବାରୁ ଅନ୍ତଃସତ୍ତ୍ଵା, ଚକ୍ଷୁ ରୋଗୀ, ହୃଦ୍ରୋଗୀଙ୍କୁ ଉପକାରୀ ବୋଲି ଡାକ୍ତର ପରାମର୍ଶ ଦେଇଥାନ୍ତି | କିନ୍ତୁ ଏହା ଏବେ ଗାଁଗଣ୍ଡାରେ ଦୁର୍ଲଭ ହେଲାଣି ପୂର୍ବରୁ ରଜ ବେଳକୁ ପ୍ରାୟତଃ ଧାନ ବୁଣାବୁଣି ସରି ଯାଉଥିଲା। ଚାଷୀ ବିଲରେ କେବଳ ଗୋବର ଖତ ଦେଇ ଚାଷ କାର୍ଯ୍ୟ କରୁଥିଲେ । ମୌସୁମୀର ପ୍ରଥମ ବର୍ଷାରେ ବିଲରେ ପାଣି ଭର୍ତ୍ତି ହୋଇ ଯାଉଥିଲା। ପହିଲି ବର୍ଷାରେ ମାଛ ଜାଆଁଳ ଛାଡ଼ିବା ପରେ ବିଲ, ନାଳ, ପୋଖରୀ ସବୁଠି ଚୂନା ମାଛ ହାଉଯାଉ ହେଉଥିଲେ।ଦଣ୍ଡେଇ, କେରାଣ୍ଡି, ଚେଙ୍ଗା, ଗଡ଼ିଶ, ମହୁରାଳି, ତୁଡ଼ି, କଣ୍ଟିଆ ଭଳି ଦେଶୀ ମାଛ ପ୍ରବଳ ଦେଖିବାକୁ ମିଳୁଥିଲା। ଜାଲ ପକାଇ ଲୋକେ ପ୍ରବଳ ମାଛ ଧରୁଥିଲେ। ବିଲରେ ଖଇଞ୍ଚି, ଜାଣ, ମୁଗୁରା ବସାଇ ମାଛ ଧରିବା ନିତିଦିନିଆ ଘଟଣା ଥିଲା। ଏତେ ମାଛ ଲୋକେ ଧରୁଥିଲେ ଯେ ନିଜ ପରିବାର ଲୋକେ ଖାଇ ବନ୍ଧୁବାନ୍ଧବ ଘରକୁ ମଧ୍ୟ ପଠାଉଥିଲେ | ଏହାସତ୍ତ୍ବେ ବଳକା ମାଛକୁ ଶୁଖୁଆ କରି ବର୍ଷକ ତରକାରୀ ପାଇଁ ସାଇତି ରଖୁଥିଲେ। କିନ୍ତୁ ଆଜି ସେଦିନ ଆଉ ନାହିଁ | ଅଧିକ ଅମଳ ଆଶାରେ ଚାଷୀ ବିଲରେ ବାରମ୍ବାର ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଯୋଗୁ ପାଣି ବିଷାକ୍ତ ହୋଇଯାଉଛି। ଫଳରେ ମାଛ ବଂଶ ବିସ୍ତାର କରିବ କ’ଣ ? ସେମାନଙ୍କ ବଂଶ ଲୋପ ପାଇଯାଉଛି। ବିଲ ମାଛ ପତୁଆ ପୋଡ଼ା ଏବେ ସ୍ଵପ୍ନ ହୋଇଗଲାଣି। ଅନ୍ୟପଟେ ବିଲରେ ଅତ୍ୟଧିକ ମାଛ ଧରିବାକୁ ଦୃଷ୍ଟିରେ ରଖି କାରିଗରମାନେ ବାଉଁଶରେ ମାଛଧରା ଯନ୍ତ୍ର ବେନ୍ଦା ଆଦି ତିଆରି କରି ବଜାର ବିକ୍ରି କରୁଥିଲେ । ଏଥିରୁ ଦି ପଇସା ରୋଜଗାର କରି ସେମାନେ ପେଟ ପୋଷୁଥିଲେ । ଜଳବାୟୁ ପରିବର୍ତ୍ତନ ଯୋଗୁ ପାଟିରେ ଚୂନା ମାଛ ବାଜୁ ନଥିବା ବେଳେ ଏହା ମାହାଲି ସଂପ୍ରଦାୟଙ୍କ ରୋଜଗାର ଛଡ଼ାଇ ନେଇଛି। କେବଳ ଏତିକି ନୁହେଁ, ଅସ୍ବାଭାବିକ ବର୍ଷା ସହିତ ପ୍ରବଳ ରାସାୟନିକ ସାର ପ୍ରୟୋଗ ଯୋଗୁ ସାଧବ ବୋହୂ, ଜିଆ ଭଳି ଅନେକ ଜୀବଜନ୍ତୁ ଧରାପୃଷ୍ଠରୁ ବିଲୁପ୍ତ ହୋଇ ଯାଉଥିବା ନେଇ ପରିବେଶବିତ ଚିନ୍ତା ପ୍ରକଟ କଲେଣି। ଆଗାମୀ ଦିନରେ ଏହାର କୁପ୍ରଭାବରେ ଆହୁରି ଅନେକ ଛୋଟଛୋଟ କୀଟପତଙ୍ଗ, ଜୀବଜନ୍ତୁ ଲୋପ ପାଇବା ଆଶଙ୍କା ଦେଖାଦେଲାଣି।
ଚାଷ ଜମିରେ ବିଷାକ୍ତ ରାସାୟନିକ ଔଷଧ ଓ ସାରର ବହୁଳ ବ୍ୟବହାର ଯୋଗୁ ଜମିରେ ମତ୍ସ୍ୟଜାତୀୟ ଜଳଜୀବ ସହିତ ଚାଷ ଜମିରେ ମିଳୁଥିବା ସୁନୁସୁନିଆ ସାଗ ଲୋପ ପାଇବା ସହିତ କୃଷକର ବନ୍ଧୁ ଜିଆ ବଂଶ ବି ଲୋପ ପାଇଗଲାଣି। ଡାଇନୋସର ଭଳି ଏହା ମଧ୍ୟ ବିଲୁପ୍ତ ପ୍ରଜାତିରେ ପରିଣତ ହେବ । ତେଣୁ ବେଳ ଥାଉ ଥାଉ ପରିବେଶର ସନ୍ତୁଳନ ବଜାୟ ରଖିବା ଓ ଜୈବ ବିବିଧତାର ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ପରିବେଶବିତ୍ ପ୍ରକାଶ ଚନ୍ଦ୍ର ସାହୁ କହିଛନ୍ତି।