
ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ପୈତୃକ ସମ୍ପତ୍ତିକୁ ନେଇ ତାରାସିଙ୍ଗି ଥାନା ଅଧୀନ ବଦାଙ୍ଗୀ ଗ୍ରାମରେ ସମ୍ପର୍କୀୟ ଭାଇକୁ ଖଣ୍ଡାରେ ଆକ୍ରମଣ କରି ଲହୁଲୁହାଣ କରିବା ଅଭିଯୋଗରେ ତାରାସିଙ୍ଗି ପୋଲିସ ବଦାଙ୍ଗୀ ଗ୍ରାମର ଦୁଇ ଯୁବକ ଅଶାନ୍ତ ବେହେରା ଏବଂ ସନ୍ତୋଷ ବେହେରାଙ୍କୁ ଗିରଫ କରିଛି । ତାରାସିଙ୍ଗି ଥାନା ଅଧିକାରୀ ରେବତୀ ଶବରଙ୍କ ସୂଚନା ପ୍ରକାରେ ଅଭିଯୁକ୍ତ ଅଶାନ୍ତ ବେହେରା ଏବଂ ସନ୍ତୋଷ ବେହେରା ପୈତୃକ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ସମ୍ପର୍କୀୟ ଭାଇ ବିଶ୍ଵନାଥ ବେହେରାଙ୍କ ସହ ବିବାଦ ରହି ଆସିଥିଲା । ସେହି ଆଧାରରେ ଗତ ୧୨ ତାରିଖ ରାତ୍ର ସମୟରେ ଉଭୟ ଅଭିଯୁକ୍ତ ବିଶ୍ଵନାଥଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହା ଫଳରେ ବିଶ୍ଵନାଥଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗି ରକ୍ତାକ୍ତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଲୋକେ ଉଦ୍ଧାର କରି ସଙ୍ଗେସଙ୍ଗେ ଗାଲେରି ଡାକ୍ତରଖାନା ଓ ପରେ ଭଞ୍ଜନଗର ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିଲା । ଗତ ୧୩ ତାରିଖ ଦିନ ଡ଼ାକ୍ତରଖାନାରୁ ଫେରିବା ପରେ ବିଶ୍ଵନାଥଙ୍କ ପତ୍ନୀ ମାଳତୀ ବେହେରା (୫୦) ତାଙ୍କ ସ୍ବାମୀଙ୍କୁ ହୋଇଥିବା ଆକ୍ରମଣ ନେଇ ଥାନାରେ ଏତଲା ଦେଇଥିଲେ । ତାଙ୍କ ଅଭିଯୋଗକୁ ଆଧାର କରି ତାରାସିଙ୍ଗି ପୋଲିସ କେସ ନଂ ୭୮/୨୫ ରୁଜୁ କରି ଭାରତୀୟ ନ୍ୟାୟ ସଂହିତା ସେକ୍ସନ ୧୯୧(୨), ୧୯୧(୩), ୩୩୧, ୩୨୪(୨), ୨୯୬, ୧୧୫(୨), ୭୪, ୧୦୯, ୭୯, ୧୯୦ ଏବଂ ଆର୍ମସ ଆକ୍ଟ ୨୫(୧)(କ) ଅଧୀନରେ ଅଭିଯୁକ୍ତ ଅଶାନ୍ତ ବେହେରା ଏବଂ ସନ୍ତୋଷ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।