
ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଦାବି ହୋଇ ଆସୁଥିବା ଭଞ୍ଜନଗର ଉପଖଣ୍ଡର ୮ଟି ବ୍ଲକ୍ କୁ ନେଇ ସ୍ୱତନ୍ତ୍ର ଘୁମୁସର ଜିଲ୍ଲା ଗଠନ ଦାବି ପୁଣି ଥରେ ତେଜି ଉଠିଛି । ରବିବାର ଭଞ୍ଜନଗର ଟାଉନ ହଲ ଠାରେ ରାଜ୍ୟ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ହିତାଧିକାରୀ ମାନଙ୍କୁ ବସୁନ୍ଧରା ପଟ୍ଟା ଏବଂ ଗ୍ରାମକଣ୍ଠ ଘରବାରି ପଟ୍ଟା ବଣ୍ଟନ କରୁଥିବା ବେଳେ ଭଞ୍ଜନଗର ବରିଷ୍ଠ ନାଗରିକ ମଞ୍ଚ ଏବଂ ଘୁମୁସର ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ବରିଷ୍ଠ ଆଇନଜୀବି ସୋମନାଥ ନାୟକ ତାଙ୍କୁ ଘୁମୁସର ଜିଲ୍ଲା ଦାବି ପତ୍ର ପ୍ରଦାନ କରିଥିଲେ । ଉକ୍ତ ସମୟରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ନିକଟରେ ଉପସ୍ଥିତ ଥିଲେ ଏବଂ ଘୁମୁସର ଜିଲ୍ଲା ଦାବି ସଂପର୍କରେ ପୂର୍ବରୁ ସେ ରାଜସ୍ବ ମନ୍ତ୍ରୀଙ୍କୁ ଅବଗତ କରାଇଥିବା ଜଣାଇଥିଲେ ।