
ବେଲଗୁଣ୍ଠା (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଫଳାଫଳ ସୋମବାର ପ୍ରକାଶିତ ହୋଇଛି । ବିଜେଡି ସମର୍ଥିତ ପ୍ରାର୍ଥୀନୀ ବଡବୋର୍ସିଙ୍ଗି ସମିତିସଭ୍ୟା ମମତା ଭୋଳ ଏହି ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି । ସେ ବିଜେପି ସମର୍ଥିତ ପ୍ରାର୍ଥୀନୀ ଗୀତାଞ୍ଜଳି ବିଷୋୟୀଙ୍କୁ ପରାଜିତ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୨୨ ମସିହା ପଞ୍ଚାୟତ ନିର୍ବାଚନରେ ବେଲଗୁଣ୍ଠା ବ୍ଳକ ଅଧକ୍ଷ ଭାବେ ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକ ନିର୍ବାଚିତ ହୋଇଥିଲେ। ସେ ଧୁମୁଛାଇ ପଞ୍ଚାୟତରୁ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇ ବ୍ଳକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ମାତ୍ର ଦେଢ ବର୍ଷ ଅଧକ୍ଷ ଭାବେ କାର୍ଯ୍ୟ କରିବା ପରେ ଗତ ବର୍ଷ ସେପ୍ଟେମ୍ବର ୫ ତାରିଖରେ ତାଙ୍କର ଅକାଳ ବିୟୋଗ ଘଟିଥିଲା। ଫଳରେ ଏହି ବ୍ଳକର ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଉଥିଲେ । ସେ ବିଜେଡି ସମର୍ଥନରେ ବ୍ଲକ ଉପାଧ୍ୟକ୍ଷା ନିର୍ବାଚିତ ହୋଇଥିଲେ ମଧ୍ୟ ରାଜ୍ୟ ଶାସନରେ କ୍ଷମତା ବଦଳିବା ପରେ ସେ ମଧ୍ୟ ବିଜେଡି ଛାଡି ବିଜେପି କୁ ଚାଲି ଯାଇଥିଲେ । ତେଣୁ ବିଜେଡି ସମର୍ଥିତ ସମିତି ସଭ୍ୟ ମାନେ ପ୍ରମିଳାଙ୍କ ନାମରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଏହିଭଳି ପରିସ୍ଥିତିରେ ଗତ ଜାନୁଆରୀ ୩୦ ତାରିଖରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ନିର୍ଦ୍ଧାରିତ ସମୟରେ ଅଧ୍ୟକ୍ଷା ପଦ ପାଇଁ ବିଜେଡିରୁ ବଡବୋର୍ସିଙ୍ଗି ସମିତିସଭ୍ୟା ମମତା ଭୋଳ ଓ ବିଜେପିରୁ ଗାଙ୍ଗପୁର ସମିତିସଭ୍ୟା ଗୀତାଞ୍ଜଳି ବିଷୋୟୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ନିର୍ବାଚନରେ ୧୭ ଜଣ ସମିତିସଭ୍ୟ ମତ ଦାନ କରିଥିଲେ । ଉଭୟ ପକ୍ଷ ନିଜ ନିଜ ପ୍ରାର୍ଥୀଙ୍କୁ ମତଦାନ କରିଥିଲେ । କିନ୍ତୁ କୋର୍ଟଙ୍କ ନିର୍ଦେଶନାମା ଅନୁଯାୟୀ, ଭୋଟ ଗଣତି କିମ୍ବା ଫଳାଫଳ ଉକ୍ତ ଦିନ ଘୋଷଣା ହୋଇପାରି ନ ଥିଲା । କଡା ସୁରକ୍ଷା ବଳୟ ମଧ୍ୟରେ ମତଦାନ ହୋଇଥିବା ବାଲଟ ବକ୍ସ ସିଲ କରି ଟ୍ରେଜେରୀରେ ରଖାଯାଇଥିଲା । ଫଳାଫଳ ଘୋଷଣା ବିଳମ୍ବ ଦେଖି ପୂର୍ବତନ ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁ ଗତ ଶୁକ୍ରବାର ଭଞ୍ଜନଗର ଉପ ଜିଲାପାଳ ଉମାଶଙ୍କର ବେହେରାଙ୍କୁ ଭେଟି ଫଳାଫଳ ଘୋଷଣା କରିବା ପାଇଁ ଦାବି କରିଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ଆଜି ଫଳାଫଳ ଘୋଷଣା ହୋଇଛି ।
ଆଜି ଫଳାଫଳ ଘୋଷଣା ସମୟରେ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହି ସମୟରେ ଭଞ୍ଜନଗର ଏସଡିପିଓ ସୁଜିତ୍ କୁମାର ନାୟକ, ବେଲଗୁଣ୍ଠା ଥାନା ଅଧିକାରୀ ବନବିହାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ବୁଗୁଡ଼ା ତହସିଲଦାର ତାପସ ରାଉତ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିଲେ ।
ମମତା ଅଧ୍ୟକ୍ଷା ନିର୍ବାଚିତ ହେବାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁ, ପଞ୍ଚାୟତ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।