
ଭଞ୍ଜନଗର: ୧୮/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଂଜାମ ଓ କନ୍ଧମାଳ ଜିଲ୍ଲାର ସୀମାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଆଜି ଅପରାହ୍ଣରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ଏସ୍ଓଜି ଯବାନ ଆହତ ହୋଇଛନ୍ତି। ଗୁରୁତର ଏସ୍ଓଜି ହେଲେ ପ୍ରେମସିଂହ ମାଝୀ। ସୂଚନା ଅନୁସାରେ ଗଂଜାମ ଜିଲ୍ଲା ଭଂଜନଗର ଏବଂ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ସୀମାନ୍ତ ଜଙ୍ଗଲରେ ମାଓବାଦୀମାନେ ଚଳପ୍ରଚଳ କରୁଥିବା ନେଇ ସୁରକ୍ଷା ବାହିନୀକୁ ଖବର ମିଳିଥିଲା। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଏସ୍ଓଜି ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ।
ତେବେ ମାଓବାଦୀମାନଙ୍କୁ ଦେଖି ଯବାନମାନେ ଗୁଳି ଚଳାଇଥିଲେ। ମାଓବାଦୀଙ୍କ ପାଲଟା ଗୁଳିଚୋଟରେ ଯବାନ ପ୍ରେମସିଂହ ମାଝୀ ଗୁରୁତର ହୋଇଥିଲେ। ତାଙ୍କର ବାମ ହାତ ଓ ପେଟରେ ଗୁଳିବାଜିଛି। ପେଟରେ ଗୁଳି ରହିଛି। ଗୁରୁତର ଭାବେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କନ୍ଧମାଳ ଜିଲ୍ଲା ରାଇକିଆର ଇନ୍ଦ୍ରଗଡ଼ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ଭଂଜନଗର ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦରକାର ପଡ଼ିଲେ ଏଠାରୁ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇ ପାରେ ବୋଲି ମେଡିକାଲ ସୂତ୍ରରୁ ଜଣାପଡ଼ିଛି।