ମୋହନାରେ ସଫାଇ ମିତ୍ର ସୁରକ୍ଷା ଶିବିର

ମୋହନା,୨୪/୯(ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟ, ଗଜପତି ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ସମ୍ମିଳନୀ କକ୍ଷରେ ସ୍ବଚ୍ଛ ସେବାର ଆହ୍ୱାନ ଦେଇ ସଫାଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ ରାଜୀବ ଦାସ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଶତପଥୀ ଯୋଗ ଦେଇଥିଲେ। ୩୯ଟି ଗ୍ରାମ ପଞ୍ଚାୟତରୁ ପ୍ରାୟ ୩୯୦ ଜଣ ସ୍ୱୟଂ ସହାୟିକା ଗୋଷ୍ଠୀର ସଫେଇ ମିତ୍ରମାନେ ଯୋଗ ଦେଇଥିଲେ। ସମସ୍ତଙ୍କୁ ବିଭାଗ ପକ୍ଷରୁ ଜୋତା,ଗ୍ଳୋବସ,ହେଲମେଟ,ମାସ୍କ, ଆଫ୍ରନ ଆଦି ସାମଗ୍ରୀ ଅତିଥିମାନଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା।ଏହାପରେ ସଫେଇ ମିତ୍ର ମାନଙ୍କୁ ପଞ୍ଚାୟତିରାଜ ବିଭାଗ, ଜିଲ୍ଲାପରିଷଦ, ପାରଳାଖେମୁଣ୍ଡିରୁ ଆସିଥିବା ଟ୍ରେନର ରବିନାରାୟଣ ପାଇକରାୟ ପଲିଥିନ ବ୍ୟବହାରକୁ ସଂପୂର୍ଣ୍ଣ ନିଷେଧ,ଅଧିକା ଆବର୍ଜ୍ୱନା ପଡ଼ିଥିବା ସ୍ଥାନକୁ ପରିସ୍କାର ରଖିବା, ସର୍ବସାଧାରଣ ସ୍ଥାନ ଗୁଡ଼ିକୁ ସର୍ବଦା ସଫା ରଖିବା, ସବୁଜ ନିର୍ମଳ ଗ୍ରାମ ଗଠନରେ ସହାୟକ ହେବା, ସ୍ଵଚ୍ଛତା ଉପରେ ସର୍ବସାଧାରଣଙ୍କୁ ସଚେତନତା କରାଇବା, ପଥପ୍ରାନ୍ତ ନାଟକ,ରାଲି କରି ବାର୍ତ୍ତା ଦେବା, ସଫେଇ ମିତ୍ରମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ବୁଝାଇଥିଲେ।ଏହି ଶିବିରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସହକାରୀ ଯନ୍ତ୍ରୀ ପଦ୍ମନାଭ ଖଣ୍ଡାଇ, କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ଜେନା ପ୍ରମୂଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ଲକ ସଂଯୋଜକ କିଶୋର ଚନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ।