ରାତିରେ ଦୌଡୁଛି ମୃତ୍ୟୁର ଟ୍ରକ୍, ସଧାରଣ ଲୋକଙ୍କ ଜୀବନ ଅସୁରକ୍ଷିତ

ଚୌଦ୍ଵାର, (ଶିବବ୍ରତ ଦାସ ): ଚୌଦ୍ଵାର ଅଞ୍ଚଳରେ ଏବେ ରାତି ହେଲେ ରାସ୍ତା ଉପରେ ଚାଲୁଛି ପଥର ମାଫିଆଙ୍କ “ଓପେନ୍ ଚ୍ୟାଲେଞ୍ଜ”। ଆଇନ, ପୋଲିସ ଓ ପ୍ରଶାସନକୁ ଯେପରି ସେମାନେ ପକେଟ୍‌ରେ ରଖି ବୁଲୁଛନ୍ତି। ରାତି ସାରା ଚୋରା ପଥର ବୋଝେଇ ଗାଡ଼ି ଦୌଡ଼ୁଛି, ଆଉ ପ୍ରଶାସନ ନିଜର “ଗଭୀର ନିଦ୍ରା”ରୁ ଉଠିବାକୁ ବୋଧେ ସମୟ ପାଉନାହିଁ।ଚୌଦ୍ଵାର ଥାନା ଅନ୍ତର୍ଗତ ବ୍ରହ୍ମପୁର ପଞ୍ଚାୟତରେ ଚୋରା ପଥର ବୋଝେଇ ଟ୍ରକ୍ (ଓ ଆର୍ ୦୯ ଇ ୩୪୫୯) ଏକ ଚାରିଚକିଆ ଗାଡ଼ିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଚାରିଚକିଆ ଗାଡ଼ିର ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଘଟଣା ପରେ ଗାଡ଼ିଟିକୁ ଜଙ୍ଗଲରେ ଲୁଚାଇ ଦିଆଯାଇଥିଲା। ହେଲେ ଯେଉଁ କାମ ପ୍ରଶାସନ କରିପାରିଲା ନାହିଁ, ସେହି କାମ କରିଦେଲେ ଗ୍ରାମବାସୀ। ଗାଡ଼ିକୁ ଖୋଜି ବାହାର କରି ପୋଲିସକୁ ଖବର ଦେଲେ ସାଧାରଣ ଲୋକ। ସ୍ଥାନୀୟ ଲୋକଙ୍କ କହିବା କଥା, ପ୍ରତିଦିନ ରାତିରେ ଏହି ଅଞ୍ଚଳରେ ବେଧଡ଼କ ଭାବେ ଏକାଧିକ ପଥର ବୋଝେଇ ଗାଡ଼ି ଚଳାଚଳ କରୁଛି। କିନ୍ତୁ ଆଶ୍ଚର୍ଯ୍ୟର କଥା, ଏତେ ବଡ଼ ବଡ଼ ଗାଡ଼ି ରାସ୍ତା କମ୍ପାଇ ଯାଉଥିଲେ ମଧ୍ୟ ପ୍ରଶାସନର ଆଖିକୁ କିଛି ଦେଖାଯାଉନି! ନା “ସବୁ ଠିକ୍ ଚାଲିଛି” ବୋଲି ଆଗରୁ ସେଟିଂ ହୋଇଯାଇଛି? ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯେଉଁ ଗାଡ଼ିଗୁଡ଼ିକ ଦ୍ରୁତ ଗତିରେ ପଥର ବୋଝେଇ ଚାଲିଛି, ସେଗୁଡ଼ିକର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଥିବା ଅଭିଯୋଗ ହେଉଛି। ତଥାପି ସେମାନଙ୍କ ଉପରେ ଚେକିଂ ନାହିଁ, କାର୍ଯ୍ୟାନୁଷ୍ଠାନ ନାହିଁ। ଲାଗୁଛି ଯେପରି ଆଇନ କେବଳ ସାଧାରଣ ଲୋକଙ୍କ ପାଇଁ, ମାଫିଆଙ୍କ ପାଇଁ ନୁହେଁ। ଏବେ ଦେଖିବାକୁ ବାକି, ଏହି ଘଟଣା ପରେ ପ୍ରଶାସନ ସତରେ ଜାଗିବ, ନା ପୁଣି କିଛି ଦିନ ପରେ ଫାଇଲ୍‌ର ଧୁଳି ତଳେ ସବୁକିଛି ଚାପି ଯିବ।