
ଭୁବନେଶ୍ବର: ଡିଜିପି-ଆଇଜିପି ସମ୍ମିଳନୀର ଆଜି ଥିଲା ଦ୍ବିତୀୟ ଦିବସ। ଆଜିର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତି ଥିଲା ଗୁରୁତ୍ବପୂର୍ଣ୍ଣ। ପୁଲିସ ବିଭାଗର ସମସ୍ତ ମୁଖିଆଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଭ୍ୟନ୍ତରୀଣ ସୁରକ୍ଷା, ପୁଲିସ ବ୍ୟବସ୍ଥା ଓ ସୁରକ୍ଷା ଉପରେ ଗୁରୁମନ୍ତ୍ର ଦେଇଥିଲେ। କେବଳ ସେତିକି ନୁହେଁ, ଅପରାଧ କ୍ଷେତ୍ରରେ ଶୂନ ସହନଶୀଳ ନୀତି ଅବଲମ୍ବନ କରିବାଲାଗି ପ୍ରଧାନମନ୍ତ୍ରୀ ରୋକ୍ଠୋକ୍ ଜଣାଇଥିଲେ। ଅନ୍ୟପକ୍ଷରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଭାରତକୁ ସୁରକ୍ଷିତ ରଖିବା ଲାଗି ଯେ କୌଣସି ସ୍ତର ପର୍ଯ୍ୟନ୍ତ ଯିବାକୁ ହେବ। ବିଶେଷକରି ଆତଙ୍କବାଦକୁ ଦମନ କରାଯିବ। ଅନୁରୂପ ଭାବେ ଆଭ୍ୟନ୍ତରୀଣ ସୁରକ୍ଷାକୁ ବିଗାଡୁଥିବା ଶକ୍ତିକୁ ଦମନ କରିବା ଲାଗି ପୁଲିସ ଫୋର୍ସକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ପ୍ରତି ରାଜ୍ୟ ପୁଲିସ ମଧ୍ୟରେ ସହଯୋଗ ହିଁ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବ ବୋଲି ଶ୍ରୀ ଶାହ କହିଥିଲେ। ଯୋଗରୁ ଆରମ୍ଭ ହୋଇ ୧୩ ଘଣ୍ଟା ଧରି ଚାଲିଲାଏହି ସମ୍ମିଳନୀର ଦ୍ବିତୀୟ ଦିନର ଅଧିବେଶନ ଆଜି ସକାଳ ସାଢ଼େ ୬ଟାରୁ ଆରମ୍ଭ ହୋଇଥିଲା ।
ପ୍ରଥମେ ଯୋଗ କରିଥିଲେ ପୁଲିସ ମହାନିର୍ଦ୍ଦେଶକ ଓ ମହାନୀରିକ୍ଷକମାନେ। ପରେ ସକାଳ ୮ଟା ବେଳକୁ ପ୍ରଧାନମନ୍ତ୍ରୀ ରାଜଭବନରୁ ବାହାରି ବୈଠକସ୍ଥଳରେ ପହଞ୍ଚିଥିଲେ। ଆରମ୍ଭ ହୋଇଥିଲା ମାନସମନ୍ଥନ। ରାତି ୭ଟା ପର୍ଯ୍ୟନ୍ତ ଚାଲିଥିଲା ତନାଘନା ଆଲୋଚନା। ଶ୍ରୀ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ବାଂଲାଦେଶୀ ଅନୁପ୍ରବେଶ ରୋକିବା, ୨୦୨୬ ସୁଦ୍ଧା ମାଓମୁକ୍ତ ଦେଶ ପରିକଳ୍ପନା ସଂପର୍କରେ କୌଶଳ ନିର୍ଣ୍ଣୟ କରିଥିଲେ। କେବଳ ସେତିକି ନୁହେଁ, ସାଇବର ଅପରାଧକୁ କିଭଳି ରୋକିବାକୁ ହେବ ଏବଂ ସାଇବର ପୁଲିସ ବ୍ୟବସ୍ଥାକୁ କିଭଳି ଅଧିକ ଶକ୍ତିଶାଳୀ କରାଯିବ, ତାହା ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ପୁଲିସ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଲାଗି ଭିତ୍ତିଭୂମି ପ୍ରତିଷ୍ଠା କରିବା ଓ ଅତ୍ୟାଧୁନିକ ଯନ୍ତ୍ରପାତି ଓ ତାଲିମ ଯୋଗାଇବାକୁ ସରକାର ସବୁ ସହଯୋଗ କରିବେ ବୋଲି ଜଣାଇଥିଲେ। ଏହି ଅବସରରେ କିଛି ପୁଲିସ ଅଧିକାରୀ ନୂଆ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ବୈଠକର ନିଷ୍ପତ୍ତି ସଂପର୍କରେ କିନ୍ତୁ ସରକାରୀ ଭାବେ କିଛି କୁହାଯାଇନାହିଁ ।