କ୍ରୀଡା ଭିତିଭୂମି ସୁଦୃଢ ଯୋଜନା : ୩ ଷ୍ଟାଡିଅମ ର ପୁନଃରୁଦ୍ଧାର ପାଇଁ ଖର୍ଚ୍ଚ ହେବ ୪୦ କୋଟି ବିଧାୟକ ଙ୍କ ବଡ଼ ପଦେକ୍ଷପ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଭଞ୍ଜନଗର ନିର୍ବାଚନମଣ୍ଡଳୀର କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ ପାଇଁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବଡ଼ ପଦକ୍ଷେପ ନେଇଛନ୍ତି । ସହରର ସର୍ବପୁରାତନ ଜେଲ ପଡିଆ ସମେତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ ପଡିଆ ଏବଂ ଜଗନ୍ନାଥପ୍ରସାଦ ଖେଳ ପଡିଆର ପୁନରୁଦ୍ଧାର ହେବ। ଏଥିପାଇଁ ୪୦ କୋଟି ଟଙ୍କା ବ୍ୟୟ ହେବ। ଭଞ୍ଜନଗର ଜେଲ ପଡିଆ ପାଇଁ ୧୨ କୋଟି ଏବଂ କଲେଜ ଖେଳ ପଡିଆ ଓ ଜଗନ୍ନାଥପ୍ରସାଦ ଖେଳ ପଡିଆର ପୁନରୁଦ୍ଧାର ପାଇଁ ୧୪ କୋଟି ଟଙ୍କା ଲେଖାଁଏ ୨୮ କୋଟି ବ୍ୟୟ ହେବ।ଏହିଭଳି ୩ଟି ଯାକ ପଡିଆର ପୁନରୁଦ୍ଧାର ପାଇଁ ସର୍ବମୋଟ ୪୦ କୋଟି ଟଙ୍କା ବ୍ୟୟ କରାଯାଇ ଅତ୍ୟାଧୁନିକ ଖେଳ ପଡିଆ ର୍ନିମାଣ ହେବ । ବିପୁଳ ଅର୍ଥ ବ୍ୟୟରେ ପଡିଆ ଗୁଡ଼ିକର ପୁନରୁଦ୍ଧାର ହେଲେ ଅଞ୍ଚଳର କ୍ରୀଡାବିତ୍‌ମାନେ ଆଗାମୀ ଦିନରେ ତାହାର ସୁଫଳ ପାଇବେ। କଲେଜ ଏବଂ ଜଗନ୍ନାଥପ୍ରସାଦ ପଡ଼ିଆର ପୁନଃରୁଦ୍ଧାର ପାଇଁ ସରକାରଙ୍କ ଅନୁମୋଦନ ମିଳିଯାଇଛି। ଜେଲ ପଡ଼ିଆ ପାଇଁ ପଦକ୍ଷେପ ନିଆଯାଇଛି। ଆଗାମୀ ଦିନରେ କ୍ରୀଡା ମନ୍ତ୍ରୀ ଭଞ୍ଜନଗର ଗସ୍ତରେ ଆସି ଉକ୍ତ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ କରିବେ। ଏଥିପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡିଛି ।ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲା ଭଞ୍ଜନଗର ହେଉଛି ରାଜ୍ୟର ସବୁଠୁ ବଡ ରାଜସ୍ବ ଉପଖଣ୍ଡ। କିନ୍ତୁ ଖେଳାଳୀ ମାନକ ଅଭ୍ୟାସ ପାଇଁ ସେଭଳି ଅତ୍ୟାଧୁନିକ ଖେଳ ପଡିଆ ଭଞ୍ଜନଗର ସହରରେ ନାହିଁ। ୨ ବର୍ଷ ପୂର୍ବେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ହୋଇଥିଲା ।

ଏଠି କେବଳ ଇଣ୍ଡୋର ଗେମ ର ସୁବିଧା ଅଛି। କିନ୍ତୁ ଫୁଟବଲ, ଦୌଡ, କ୍ରିକେଟ, ହକି ଭଳି ଖେଳ ପାଇଁ ସହରରେ ଉପଯୁକ୍ତ ପଡ଼ିଆ ଅଭାବ ରହିଛି। ଜେଲ ପଡ଼ିଆଟି ଘୁମୁସର ଅଥଲାଟିକ ଆସୋସିଏସନ ଦ୍ବାରା ପରିଚାଳିତ। ପୂର୍ବତନ ବାଚସ୍ପତି ସୋମନାଥ ରଥଙ୍କ ପ୍ରଚେଷ୍ଟାରେ ଉକ୍ତ ପଡ଼ିଆ ୧୯୫୫ ମସିହାରେ ହୋଇଥିଲା। ତାହାର ସଭାପତି ମଧ୍ୟ ସୋମନାଥ ବହୁବର୍ଷ ଧରି ଥିଲେ। ତାଙ୍କର ମୃତ୍ୟୁ ପରେ ଆସୋସିଏସନର କର୍ମକର୍ତ୍ତା ବର୍ତ୍ତମାନ କିଏ ଅଛି ତାହା ସଠିକ ଭାବେ ଜଣାପଡୁନାହିଁ । ଅନ୍ୟପଟେ ପଡ଼ିଆର ଚତୁପାର୍ଶ୍ୱରେ ବର୍ତ୍ତମାନ ଜବରଦଖଲ ସମସ୍ୟା ବଢ଼ିଛି। ଆସୋସିଏସନ ଦ୍ୱାରା ହୋଇଥିବା ଦୋକାନ ଘର ଗୁଡ଼ିକର ଭଡ଼ା ମଧ୍ୟ ଆଉ ମିଳୁନାହିଁ। ଆଜକୁ ପ୍ରାୟ ୨୫ ବର୍ଷ ହେବ ପଡ଼ିଆର ଉନ୍ନତିକରଣ ହୋଇନାହିଁ। ପଡିଆଟି ଖାଲ ଖମାରେ ଭରି ରହିଥିବା ବେଳେ ଦର୍ଶକ ଗ୍ୟାଲେରୀ, ଡ୍ରେସିଂଙ୍ଗ ରୁମ ସମେତ ଅନ୍ୟାନ୍ୟ ରୁମ ମଧ୍ୟ ଭଗ୍ନ ଅବସ୍ଥାରେ ରହିଛି। ପଡ଼ିଆ ପାଚେରୀ ଭାଙ୍ଗି ଲୋକେ ଜବରଦଖଲ କଲେଣି। ଏହିଭଳି ପରିସ୍ଥିତିରେ ଉକ୍ତ ପଡ଼ିଆର ପୁନରୁଦ୍ଧାର ପାଇଁ ସ୍ଥାନୀୟ ବିଧାୟକ ପଦକ୍ଷେପ ନେଇଛନ୍ତି। ଯାହାକି ପ୍ରଶଂସନୀୟ ପଦକ୍ଷେପ । ପଡ଼ିଆଟିକୁ ସମ୍ପୂର୍ଣ୍ଣ ଭାଙ୍ଗି ସମ୍ପ୍ରସାରଣ ଯୋଜନା ଅଛି । ଏଥିସହ କଲେଜ ଖେଳ ପଡିଆ ଏବଂ ଜଗନ୍ନାଥପ୍ରସାଦ ଖେଳ ପଡିଆର ପୁନଃରୁଦ୍ଧାର ହେଲେ ଛାତ୍ରୀଛାତ୍ରଙ୍କ ସମେତ ଅନ୍ୟମାନେ ତାହାର ସୁଫଳ ପାଇବେ ।

Leave a Reply

Your email address will not be published. Required fields are marked *