ଯୌନ ନିର୍ଯାତନା ଅଭିଯୋଗରେ ବାବା ମଧୁମଙ୍ଗଳ ଗିରଫ, ମଠ ସିଲ୍‌ –

ଢେଙ୍କାନାଳ: ପଦାରେ ପଡିଲା ବାବାଙ୍କ ଯୌନ କେଳେଙ୍କାରୀ । ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ବାବା ମଧୁମଙ୍ଗଳ ଦାସ । ଢେଙ୍କାନାଳ ଜିଲ୍ଲା ମଠକରଗୋଳା ସ୍ଥିତ ମୁରଲୀ ମନହୋର ମଠରେ ଠାକୁରଙ୍କ ସେବା କରିବା ଆଳରେ ବିବାହିତ ମହିଳାଙ୍କୁ ମଠରେ ରଖି ବାବା ମଧୁମଙ୍ଗଳ ଯୌନ ନିର୍ଯାତନା ଦେଉଥିଲେ । ଚଢ଼ାଉ ସାଙ୍ଗକୁ ଫରେନସିକ ଟିମ ଘଟଣାସ୍ଥଳରେ ଛାନଭିନ ପରେ ମଠକୁ ସିଲ କରିଛି ପୋଲିସ ।

ପିଡିତା ମହିଳା ଏନେଇ ଥାନାରେ ଅଭିଯୋଗ ପରେ ବାବା ଫେରାର ହୋଇଯାଇଥିଲେ । ମାତ୍ର ମଠକରଗୋଳା ଗ୍ରାମବାସୀ ତାଙ୍କୁ କାବୁ କରି ପୋଲିସର ଜିମା ଦେବା ପରେ ଯୌନକେଲେଙ୍କାରୀ ସମୃକ୍ତରେ ପାଖଣ୍ଡି ବାବା ମଧୁମଙ୍ଗଳ ଦାସକୁ ଗିରଫ କରିଛି କାମାକ୍ଷାନଗର ପୋଲିସ । ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଶୁକ୍ରବାର ଠାରୁ କାମାକ୍ଷାନଗର ପୋଲିସ ବାବା ଚଲାଉଥିବା ଗୋବିନ୍ଦ ଭୋଜନାଳୟ ନାମକ ଏକ ହୋଟେଲ ଓ ମଠକରଗୋଳା ଗ୍ରାମରେ ଥିବା ମଠ ଉପରେ ଚଢ଼ାଉ କରିଥିଲା।

ଶନିବାର ଫରେନସିକ ଟିମ ସହିତ ପୋଲିସ ମଠରେ ଛାନ ଭିନ କରିବା ପରେ ମଠକୁ ସିଲ କରିଦିଆଯାଇଛି। ପୀଡିତାଙ୍କ ବୟାନ ରେକର୍ଡ କରାଯାଇ ଡାକ୍ତରୀ ମାଇନା ପାଇଁ ପଠାଇଛି ପୋଲିସ । ଗିରଫ ଅଭିଯୁକ୍ତ ବାବାକୁ ମେଡ଼ିକାଲ ଯାଞ୍ଚ କରି ପୋଲିସ କୋର୍ଟ ଚାଲାଣ କରିଛି । କାମାକ୍ଷାନଗର ଥାନାରେ ମଦନ ମୋହନ ପରିଡା ଓରଫ ବାବା ମଧୁମଙ୍ଗଳ ଦାସଙ୍କ ବିରୋଧରେ କେସ ନମ୍ବର 420/16.8.2025 U/S- 64(2), 64(1), 115(2), 303(2),238(35)BNS ରେ ମାମଲା ରୁଜୁ ହୋଇଛି ।ସୂଚନା ଥାଉକି, ଜଣେ ବିବାହିତା ମହିଳାଙ୍କୁ ଠାକୁର ନୀତିକାନ୍ତି କରିବା ଆଳରେ ମଠରେ ରଖି ଯୌନ ନିର୍ଯାତନା ଦେଉଥିଲେ । ମହିଳା ଜଣଙ୍କ ପ୍ରତିବାଦ କରିବାରୁ ବାବା ତାଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ। ତେବେ ବାବାର ମଠରୁ କୌଣସି ପ୍ରକାରରେ ପୀଡିତା ଜଣଙ୍କ ଖସି ଆସି ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରିବାରୁ କାମାକ୍ଷାନଗର ଥାନା ପୋଲିସ ମହିଳାଙ୍କୁ ଉଦ୍ଧାର କରିଥିଲା । ଏ ସମ୍ପର୍କରେ ମହିଳାଙ୍କ ଅଭିଯୋଗ ମୁତାବକ କାମାକ୍ଷାନଗର ଥାନାରେ ଅଭିଯୁକ୍ତ ବାବା ମଧୁ ମଙ୍ଗଳ ଦାସ ନାମରେ ଏକ ମାମଲା ରୁଜୁ କରାଯାଇଛି। ତେବେ ବାବାର ନିଜ ଘର ମଠକରଗୋଳା ଗ୍ରାମର ବେଲେଇ ସାହିରେ ବୋଲି ଜଣାପଡିଛି।କାମାକ୍ଷାନଗର ଏସଡିପିଓ ରଜନୀକାନ୍ତ ସାମଲ କହିଛନ୍ତି,”ପୀଡିତାଙ୍କ ରିପୋର୍ଟ ଆଧାରରେ ମାମଲା ରୁଜୁ କରାଯାଇଛି । 15 ଦିନ ହେବ ମହିଳା ଜଣଙ୍କ ମଠକୁ ଆସି ରହୁଥିଲେ । “ପୀଡିତାଙ୍କ ଅଭିଯୋଗକୁ ନେଇ ବାବା ମଧୁମଙ୍ଗଳ କହିଛନ୍ତି, “ନିରାଶ୍ରୟଙ୍କୁ ଆଶ୍ରୟ ଦେବାରୁ ଏଇ ଦଣ୍ଡ ମୋତେ ମିଳିଛି । ମୋତେ ଜାଣିଶୁଣି ଫସାଇ ଦିଆଯାଇଛି । ସେ ସେବା କରିବା ପାଇଁ ରହୁଥିଲେ । ତାଙ୍କୁ ଆମେ ଅର୍ଥ ଜାଚିନାହିଁ । ମୋର ତାଙ୍କ ସହ କୌଣସି ସମ୍ପର୍କ ନାହିଁ । “