ପ୍ରାକୃତିକ ନୁହେଁ, ମନୁଷ୍ୟକୃତ ମରୁଡ଼ି

ନୂଆପଡ଼ା, ୦୬/୦୫ (ପରମେଶ୍ୱର ମେହେର ): ନୂଆପଡ଼ା ଜିଲାର ଜୀବନରେଖା କୁହାଯାଉଥିବା ପତୋରା ଅପରଜୋଙ୍କ ଜଳସେଚନ ପ୍ରକଳ୍ପରେ ପାଣି ଶୁଖ୍ ଧାନଚାଷ ଉଜୁଡିଯିବା ଘଟଣାକୁ ନେଇ ମଙ୍ଗଳବାର ବିଜେଡିର ରାଜ୍ୟସ୍ତରୀୟ ଦଳ କ୍ଷେତ୍ର ପରିଦର୍ଶନ କରିଛି। ବିଜେଡି ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ନିର୍ଦ୍ଦେଶକ୍ରମେ ଜିଲା ସଭାପତି ଅବନୀ ରଞ୍ଜନ ଯୋଶୀଙ୍କ ତତ୍ତ୍ୱାବଧାନରେ ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗୀନି ଛୁରିଆ, ଖଡିଆଳ ବିଧାୟକ ଅଧୁରାଜ ମୋହନ ପାଣିଗ୍ରାହୀ, ପଦ୍ମପୁର ବିଧାୟିକା ବର୍ଷାସିଂ ବରିହା, ପାଟଣାଗଡ଼ ପୂର୍ବତନ ବିଧାୟକ ସରୋଜ ମେହେର, ନୂଆପଡା ଜିଲା ପରିଷଦ ଅଧ୍ଯକ୍ଷା ଡଲି ମାଝି, ଉପାଧ୍ଯକ୍ଷା ଦୀପିକା ଦୀପ, ଜିଲା ପରିଷଦ ଭାନୁ ପ୍ରତାପ ସିଂ ମାଝି ପ୍ରମୁଖ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଚାଷୀଙ୍କ ସମସ୍ୟା ବୁଝିଥିଲେ। ପ୍ରଥମେ ସାରାବଙ୍ଗ ପଞ୍ଚାୟତ ପଣ୍ଡରିପାଣି ଗାଁକୁ ଯାଇ ବନ୍ଧୁ ମାଝିଙ୍କ ଧାନ ଚାଷ ମରି ଯାଇଥିବା ଦେଖୁଥିଲେ। ପରେ ପତୋରା ଡ୍ୟାମ ପାଣିରେ ଚାଷ ହେଉଥ‌ିବା ୯ ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ମରି ଯାଇଥିବା ଚାଷ ସବୁ ଦେଖୁଥିଲେ। ପତୋରା ଜଳସେଚନପ୍ରକଳ୍ପ ପରିଦର୍ଶନ କରି ନୂଆପଡା ଫେରି ଆସିଥିଲେ। ସର୍କିଟ ହାଉସଠାରେ ଏକ ଖବରଦାତା ସମ୍ମିଳନୀରେ ରାଜ୍ୟ ସଭାନେତ୍ରୀ ଛୁରିଆ କହିଲେ, ବିଜେଡି ଶାସନର ୨୪ ବର୍ଷ ମଧ୍ୟରେ ଏପରି କୃତ୍ରିମ ମରୁଡି ଦେଖା ଦେଇ ନ ଥିଲା। ୨୦ ପାଣି ପଞ୍ଚାୟତର ୬ ହଜାର ଚାଷୀ ଉପକୃତ ହେଉଥିଲେ। ଏହା ପ୍ରାକୃତିକନୁହେଁ, ମନୁଷ୍ୟକୃତ ମରୁଡି। ଏଥିରେ ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ହିଁ ଦାୟୀ ବୋଲି କହିଥିଲେ I ଏହାପରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାପାଳ ମଧୁସୂଦନ ଦାଶଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ସମୟରେ ଦଳ ପକ୍ଷରୁ ଜିଲାପାଳଙ୍କୁ ବିଭିନ୍ନ ପ୍ରଶ୍ନ କରାଯାଇଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ନ ମିଳିବାରୁ କ୍ଷୋଭ ପ୍ରକାଶକରିଥିଲେ। ଜିଲାସ୍ତରୀୟ ଜଳ ପରିଚାଳନା କମିଟି ବୈଠକରେ ଚଳିତ ରବିଋତୁରେ ୧୯୫୧.୭ ହେକ୍ଟର ଜମିରେ ୫୦% ଧାନ ଓ ୫୦% ଅଣଧାନ କରିବା ପାଇଁ ନିଷ୍ପରି ହୋଇଥିଲା। କିନ୍ତୁ ଅଣଧାନ ଚାଷ ନ କରି ୧୦୦% ଧାନ ଚାଷ କରିଛନ୍ତି । ଏଠାରେ ଚାଷୀ ଅଭିଯୋଗ କରୁଛନ୍ତି ଯେ, ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହ କିଛି କୁଜିନେତା ସଲାସୁତରା କରି ଧାର୍ଯ୍ୟଠାରୁ ଅଧିକ ୨ ହଜାର ହେକ୍ଟର ଜମିରେ ଚାଷ କରିଛନ୍ତି I ସେଥ‌ିପାଇଁ ପ୍ରକଳ୍ପ ପାଣି ଶୁଖାଯାଇ କୃତ୍ରିମ ମରୁଡି ଦେଖାଦେଇଛି। ଫଳରେ ଚାଷୀଙ୍କ ବଡ କ୍ଷତି ହୋଇଛି। ଦୁଇଦିନ ଭିତରେ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବା ପାଇଁ ବିଜେଡି ଦାବି କରିଛି ଜିଲାସ୍ତରୀୟ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରି ଶୀଘ୍ର ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜିଲାପାଳ କହିଛନ୍ତି । ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଅପାରଗତାକୁ ନେଇ ଆସନ୍ତା ୮ରେ ଜିଲାପାଳ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି ।