
ଭଞ୍ଜନଗର ୦୨/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗୁଟଖା ସହିତ ଜର୍ଦ୍ଦାରେ ଲଗାମ ପଡ଼ି ପାରୁନଥିବାରୁ ନିରବ ଘାତକ ସାଜିଥିବା ତମାଖୁ ସେବନ ନିୟନ୍ତ୍ରିତ ହୋଇପାରୁନାହିଁ। ଫଳରେ ଦିନକୁ ଦିନ ମୁଖ ଗହ୍ବର କ୍ୟାନସର ପରି ଦୂରାରୋଗ ବଢ଼ି ଚାଲିଛି। ଗୁଟଖା ସହ ତମାଖୁ ସେବନ ସ୍ବାସ୍ଥ୍ୟପକ୍ଷେ ହାନିକାରକ ଜାଣି ମଧ୍ୟ ଏହାର ବ୍ୟାପକ ବ୍ୟବସାୟ ଚାଲିଛି। ସରକାରୀ ସ୍ତରରେ ଏହି କାରବାରକୁ ବ୍ୟାନ୍ କରାଯାଇଥିଲେ ମଧ୍ୟ ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଦୋକାନ ବଜାର ପ୍ରତ୍ୟେକ ସ୍ଥାନରେ ଏହା ଉପଲବ୍ଧ ହେଉଛି। ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖୁଲମଖୁଲା ସେବନ କରୁଛନ୍ତି। ତମାଖୁ ପ୍ରସ୍ତୁତି ଦିଗରେ କଡ଼ା କଟକଣା କରାଯାଇ ପାରୁନଥିବାରୁ ଯେତେ ସଚେତନ କଲେ ମଧ୍ୟ ତମାଖୁ ସେବନ ନିୟନ୍ତ୍ରଣକୁ ଆସିପାରୁନାହିଁ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।ତମାଖୁ ଏପରି ଏକ ବଦଭ୍ୟାସ ଯାହା ପରବର୍ତ୍ତୀ ସମୟରେ ଅନେକ ରୋଗକୁ ପରୋକ୍ଷଭାବେ ଆମନ୍ତ୍ରଣ କରେ। ଅମ୍ଳପିତ (ଏସିଡିଟି) ପରି ପେଟରୋଗ ଠାରୁ ଆରମ୍ଭକରି ମସ୍ତିସ୍କ ଏବଂ ସ୍ନାୟୁରୋଗ ଆଦି ଦ୍ବାରା ସମଗ୍ର ଶରୀରକୁ ଦୁର୍ବଳ କରିଦେଇଥାଏ ଏବଂ ଅସମୟରେ ଜୀବନ ନାଶକ ହୋଇଥାଏ। ତମାଖୁ ସେବନ ଦ୍ବାରା ମୁଖ୍ୟତଃ ବହୁ ରୋଗୀ କ୍ୟାନସରରେ ପୀଡ଼ିତ ହୋଇ ବିକଳାଙ୍ଗ ହେଉଛନ୍ତି କିମ୍ବା ଜୀବନ ହରାଉଛନ୍ତି। ପାଖରେ ପଇସା ନଥିଲେ ମଧ୍ୟ ସାଙ୍ଗସାଥୀ ମାନେ ନିଜ ନିଜ ଭିତରେ ସେୟାର କରି ଏଗୁଡିକୁ ଖାଉଛନ୍ତି। ପୂର୍ବରୁ ଲୋକମାନେ ଖାଇ ସାରିବା ପରେ ହଜମ ହେବାଲାଗି କିମ୍ବା ପାଟି ଦୁର୍ଗନ୍ଧ ନହେବା ଲାଗି ପାନ ଖାଉଥିଲେ । ଏବେ ସେଥିରୁ ଦୂରେଇ ଯାଇ କେମିକାଲ୍ ମିଶା ଗୁଟଖା ଏବଂ ସେଥିରେ ଫ୍ରିରେ ମିଳୁଥିବା ଜର୍ଦ୍ଦା କୁ ଖାଇବା ଏକ ନିଶାରେ ପରିଣତ ହୋଇଯାଇଛି। ବର୍ଷ ବର୍ଷ ଧରି ତମାଖୁ ସେବନ ଠାରୁ ଦୂରେଇ ରହିବା ଲାଗି ବିଭିନ୍ନ ସରକାରୀ ସଂସ୍ଥା ଠାରୁ ଆରମ୍ଭ କରି ବେସରକାରୀ ସଂସ୍ଥା ମାଧ୍ୟମରେ ସଚେତନ କରାଯାଉଛି। ହେଲେ ଗୋଟିଏ ପରିବାରର ମୂଳପିଢ଼ି ଯଦି ଏହି ସେବନରୁ ବିରତ ନହୁଏ କିମ୍ବା ଗୁଟଖା ଓ ତମାଖୁ ଜାତୀୟ ଦ୍ରବ୍ୟ ପ୍ରସ୍ତୁତି ଓ ବିକ୍ରିକୁ ଅନ୍ୟ ରାଜ୍ୟ ପରି ସଂପୁର୍ଣ୍ଣ ମୂଳୋତ୍ପାଟନ କରାନଯାଏ ତେବେ ତମାଖୁ ସେବନ ନିୟନ୍ତ୍ରଣକୁ ଆସିବ ନାହିଁ ବୋଲି ମତପ୍ରକାଶ ପାଇଛି।୨୦୧୩ ମସିହାରୁ ରାଜ୍ୟ ସରକାର ଗୁଟଖା, ସିଗାରେଟ୍ ଆଦିକୁ ବ୍ୟାନ୍ କରିଥିଲେ ମଧ୍ୟ ଏହାର ବେପାର ଦିନ କୁ ଦିନ ବଢି ଚାଲିଛି। ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ, ସରକାରୀ କାର୍ଯ୍ୟାଳୟ ନିକଟରେ ଏହାକୁ ବିକ୍ରି ନ କରିବା ଲାଗି ୨୦୦୩ କୋପା ଆଇନ୍ ପ୍ରଣୟନ ହୋଇଛି। ଏହାକୁ କାର୍ଯ୍ୟକାରୀ କରାଯିବାକୁ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ୨୦୧୬ ମସିହାରେ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଆସିଥିଲା। ଏଥିପାଇଁ ଟାସ୍କଫୋର୍ସ କମିଟି ମଧ୍ୟ ଗଠନ କରାଯାଇଥିଲା। ସେଥିରେ ଜଣେ ଏସ୍ଆଇ, ଖାଦ୍ୟ ନିରାପତ୍ତା ଅଧିକାରୀ, ଡ୍ରଗ୍ ଇନ୍ସପେକ୍ଟର ସାମିଲ୍ ଥିଲେ। ଏହି କମିଟି ବିଭିନ୍ନ ସ୍ଥାନରେ ଚଢ଼ଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାୟିତ୍ବ ଦିଆଯାଇଥିଲା । କିଛିଦିନ ଏହା କାର୍ଯ୍ୟକାରୀ ହେବାପରେ ସମନ୍ବୟ ଓ ଆନ୍ତରିକତା ଅଭାବରୁ ସଂପ୍ରତି ଏହା ସଂପୂର୍ଣ ଠପ୍ ହୋଇଯାଇଛି ।